ନ୍ୟାୟ ପାଇଁ ପୁଣିଥରେ କୋର୍ଟ ଦ୍ୱାରସ୍ଥ ହେବେ ଅନୁଭବ!

ଭୁବନେଶ୍ୱର: ପୁଣି ଆଉଥରେ କୋର୍ଟରେ ଲଢ଼ିବାକୁ ଯାଉଛନ୍ତି ଓଲିଉଡ ସୁପରଷ୍ଟାର ଅନୁଭବ ମହାନ୍ତି । କଥାଟି ଶୁଣି ଆପଣ ଆଶ୍ଚର୍ଯ୍ୟ ହୋଇଗଲେ କି? ତେବେ ଜମା ବି ଆଶ୍ଚର୍ଯ୍ୟ ହୁଅନ୍ତୁ ନାହିଁ, କାରଣ ଏଥର ନିଜ ପାରିବାରିକ କଳହ ପାଇଁ ନୁହେଁ ବରଂ ଓଡ଼ିଶାର ସମସ୍ତ ଦର୍ଶକଙ୍କ ପାଇଁ କୋର୍ଟ ଯିବେ ଅନୁଭବ। ଆଜ୍ଞା ହଁ । ରଜବଜାରରେ ଆସିବାକୁ ଯାଉଛି ଅନୁଭବଙ୍କ ନୂଆ ଫିଲ୍ମ ” କୁହୁଡି ” । ଯେଉଁଥିରେ କଳା କୋର୍ଟ ପିନ୍ଧି ଓକିଲ ସାଜି ଲଢ଼ିବେ ଅନୁଭବ । ନ୍ୟାୟ ପାଇଁ କରିବେ ଲଢେଇ । ନିଜ ଚିରାଚରିତ ଲୁକ୍ ଓ ଚରିତ୍ରରୁ ହଟିକି ଏଥର ଜଣେ ଆଇନଜୀବୀ ବା ଓକିଲ ଭୂମିକାରେ ନଜର ଆସିବାକୁ ଯାଉଛନ୍ତି ଅନୁଭବ ।

କିଛି ନୂଆ ଓ ଭିନ୍ନ କାହାଣୀ ସହିତ କୋର୍ଟ ରୁମ୍ ଭିତରର ଡ୍ରାମାକୁ ନେଇ ଫିଲ୍ମର କାହାଣୀ ଗତିଶୀଳ । ଯେଉଁଥିରେ ଦର୍ଶକ ଦେଖିବେ ସତ ଓ ମିଛର କାହାଣୀ । କିଏ ଜିତିବ ଆଉ କିଏ ହାରିବ ତାହା ଫଇସଲା କରିବ ଏହି ଫିଲ୍ମ । ରିଅଲ୍ ଲାଇଫରେ ନିଜ ବ୍ୟକ୍ତିଗତ ଜୀବନରେ ନ୍ୟାୟ ପାଇଁ ଲଢ଼ିବା ପରେ ଏବେ ରିଲ୍ ଲାଇଫରେ ଓକିଲ ସାଜି ପୁଣି ଥରେ ନ୍ୟାୟ ପାଇଁ ଲଢ଼ିବେ ଅନୁଭବ।

ଅନୁଭବଙ୍କ ଜନ୍ମଦିନ ଅବସରରେ ” କୁହୁଡି ” ଫିଲ୍ମର ପ୍ରଥମ ପୋଷ୍ଟରକୁ ରିଲିଜ୍ କରାଯାଇଛି । ପୋଷ୍ଟରରେ କଳାକୋର୍ଟ ପିନ୍ଧି ଓକିଲ ଭୂମିକାରେ ନଜର ଆସୁଛନ୍ତି ଅନୁଭବ । ଗୋଟିଏ ହାତରେ ରହିଛି ଫାଇଲ ଆଉ ଗୋଟିଏ ହାତରେ କୁନି ଝିଅଟିର ହାତ । ଫିଲ୍ମର ପୋଷ୍ଟରରୁ ହିଁ ଫିଲ୍ମର କାହାଣୀ କିଛି ଭିନ୍ନ ଥିବା ଭଳି ମନେ ହେଉଛି । ତେବେ ଫିଲ୍ମରେ ଅନୁଭବଙ୍କ ସହିତ ନାୟିକା ଭୂମିକାରେ ସୁପ୍ରିୟା ନାୟକଙ୍କୁ ଦେଖିବାକୁ ମିଳିବ ବୋଲି କୁହାଯାଉଛି । କିନ୍ତୁ ଏପର୍ଯ୍ୟନ୍ତ ଏହା ଉପରେ କୌଣସି ସଠିକ୍ ସୂଚନା ମିଳିପାରି ନାହିଁ।

କ୍ୟାମେରା କୁଇନ ପ୍ରଡକ୍ସନ ବ୍ୟାନରରେ ନିର୍ମିତ ଏହି ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି ଯୁବ ନିର୍ଦ୍ଦେଶକ ଅଜୟ ପାଢ଼ୀ । ପ୍ରଯୋଜନା ଦାୟିତ୍ଵ ତୁଲାଇଛନ୍ତି ହିମାଦ୍ରି ତନୟା ଦାସ୍ । ଫିଲ୍ମଟିର ଡାଏଲଗ ଲେଖିଛନ୍ତି ଅଜୟ କୁମାର ଦାସ । ଫିଲ୍ମର ସୁଟିଂ ଏବେ ଖୁବ୍ ଜୋରସୋରରେ ଆଗେଇ ଚାଲିଛି । ଭିନ୍ନ କାହାଣୀକୁ ନେଇ ପ୍ରସ୍ତୁତ ହେଉଥିବା ଏହି ଫିଲ୍ମକୁ ନେଇ ବେସ୍ ଖୁସି ଅଛନ୍ତି ଅନୁଭବ । ଏହା ପୂର୍ବରୁ ଅନୁଭବଙ୍କୁ ଫିଲ୍ମ ” ଲଭ୍ ଇନ ଲଣ୍ଡନ ” ରେ ଦେଖିବାକୁ ମିଳିଥିଲା । ଯାହା ବକ୍ସ ଅଫିସରେ ସୁପରହିଟ ସାବ୍ୟସ୍ତ ହୋଇଥିଲା ।

0
0

Leave a Reply

Your email address will not be published. Required fields are marked *