ମାର୍କେଟରେ ମନ ଜିଣୁଛି ଓଡ଼ିଆ ଫିଲ୍ମ ‘ DEAR ପୁରୁଷ’

ଭୁବନେଶ୍ଵର: ଆମେ କଥାରେ କହୁ ନାରୀ ପୁରୁଷ ଉଭୟ ସମାନ । କିନ୍ତୁ କଣ ଆମେ ପୁରୁଷଙ୍କୁ ଠିକ୍ ସେହି ଭଳି ଗୁରୁତ୍ବ ଦେଉ ଯେମିତି ଜଣେ ନାରୀଙ୍କୁ ଦେଉଛୁ ? ନାରୀଙ୍କୁ କେନ୍ଦ୍ର କରି ଅନେକ ଫିଲ୍ମ ନିର୍ମାଣ କରାଯାଇଛି କିନ୍ତୁ ଜଣେ ପୁରୁଷଙ୍କ କାହାଣୀକୁ ପରଦାରେ କେବେ ଦେଖିବାକୁ ପାଇନାହାନ୍ତି ଦର୍ଶକ ।ସେହିଭଳି କିଛି ପୁରୁଷଙ୍କୁ କେନ୍ଦ୍ର କରି ତିଆରି ହୋଇଛି ଫିଲ୍ମ ‘ ଡିଅର୍ ପୁରୁଷ ‘ । ଯେଉଁଥିରେ ଦର୍ଶକ ଦେଖିବେ ଜଣେ ପୁରୁଷର ସଂଘର୍ଷ ପଛର କାହାଣୀ । କାହାଣୀ ଭଲ ପାଉଥିବା ଜଣେ ପ୍ରେମିକର, କାହାଣୀ ଜଣେ ସ୍ଵାମୀ, ଜଣେ ବାପା ଓ ଜଣେ ଭାଇର ।

ସମାଜରେ ନାରୀ-ପୁରୁଷର ସମ୍ପର୍କ ତଥା ଏଥିରେ ପୁରୁଷ ସାମ୍ନା କରୁଥିବା ଆହ୍ବାନ ସହ ହାସ୍ୟରସକୁ ନେଇ ସମୃଦ୍ଧ ହୋଇଥିବା ଏହି ଚଳଚ୍ଚିତ୍ର ‘ଡ଼ିଅର୍ ପୁରୁଷ’ରେ ୬ ଜଣ ଦମ୍ପତ୍ତିଙ୍କ ଜୀବନଯାତ୍ରା ଦର୍ଶକଙ୍କୁ ଦେଖିବାକୁ ମିଳିଥିଲା । ସବୁଠାରୁ ବଡ଼ କଥା ହେଲା ଯେ, ଏହି ସିନେମାରେ ଓଡ଼ିଆ ସିନେ ପ୍ରଯୋଜିକା ତଥା ଅଭିନେତ୍ରୀ ଝିଲିକ୍ ଭଟ୍ଟାଚାର୍ଯ୍ୟ ଭିନ୍ନ ଏକ ଲୁକରେ ନଜର ଆସିଥିଲେ ।  ସମାଜର ନୀତି ନିୟମ ଭିତରେ ନ୍ୟାୟ ପାଇଁ ଲଢ଼ୁଥିବା ବୀର ଯୋଦ୍ଧା ଭାବରେ ତାଙ୍କୁ ଦେଖିବାକୁ ପାଇଥିଲେ ଦର୍ଶକ ।

ଲୋକପ୍ରିୟ ନିର୍ଦ୍ଦେଶକ ଜିତ୍ ଚକ୍ରବର୍ତ୍ତୀଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମରେ ଝିଲିକଙ୍କ ବ୍ୟତୀତ ଲୋକପ୍ରିୟ କଳାକାର ଚୌଧୁରୀ ଜୟପ୍ରକାଶ ଦାସ, ମହାଶ୍ବେତା ରାୟ, ସିଦ୍ଧାନ୍ତ ମହାପାତ୍ର, ନୀତୁ ସିଂ, ସମରେଶ ରାଉତରାୟ, ପିଙ୍କି ପ୍ରଧାନ, ବବି ମିଶ୍ର, ବି.ଏମ୍. ବୈଶାଳୀ, ଦେବାଶିଷ ପାତ୍ର, ଅନୁରାଧା ପାଣିଗ୍ରାହୀ, ଦିପନ୍ବିତ ଦାସ ମହାପାତ୍ର, ଦିବ୍ୟାଦିଶା ମହାନ୍ତି, ପାର୍ଥ ସାରଥୀ ରାୟ, ହିମାଗ୍ନି ଦତ୍ତ, ଅନନ୍ୟା ମିଶ୍ର, ଇପ୍ସିତା ଦାସ, ପ୍ରଦ୍ୟୁମ୍ନ ଲେଙ୍କା, କୁନା ତ୍ରିପାଠୀ, ସୁକାନ୍ତ ରଥ, ନାୟା ଜିଦାନ୍, ଐଶ୍ୱର୍ଯ୍ୟା ବେହେରା, ରବି ମିଶ୍ର, ମନୀଷା ମିଶ୍ର, ରାକ୍ଷୀ ଦାସ, ସୁଦୀପ୍ତ ସୁନ୍ଦର ସ୍ୱାଇଁ, ବିକି ମିଶ୍ର ପ୍ରମୁଖ ଭିନ୍ନ ଭିନ୍ନ ଚରିତ୍ରରେ ନଜର ଆସିଥିଲେ ।

କିଛି ନୂଆ ଓ ଭିନ୍ନ ଧରଣର କାହାଣୀ ନେଇ ଝିଲିକ ମୋସନ ପିକ୍ଚରସ୍ ଆଣିଥିବା ଫିଲ୍ମ ‘ ଡିଅର୍ ପୁରୁଷ’ କୁ ଦର୍ଶକଙ୍କ ବେସ୍ ଭଲପାଇବା ମିଳିପାରିଛି । ଫିଲ୍ମଟି ଜାନୁଆରୀ ୧୧ତାରିଖରେ ଓଡ଼ିଶାର ସମସ୍ତ ହଲରେ ରିଲିଜ୍ କରାଯାଇଥିଲା। ଫିଲ୍ମରେ ଭରପୁର କମେଡି, ଡ୍ରାମା , ଅଭିନେତାଙ୍କ ଚମତ୍କାର ଅଭିନୟ ଏବଂ ଆକର୍ଷଣୀୟ କାହାଣୀ ଦର୍ଶକଙ୍କୁ ବେଶ ଆକର୍ଷିତ କରିଥିଲା ।  ସେପଟେ ପୂର୍ବରୁ ପ୍ରଥମ ଓଡ଼ିଆ ଫିଲ୍ମ ଭାବେ ‘ଡିଅର ପୁରୁଷ’ର ଟ୍ରେଲର ଆମେରିକା,‌ ନ୍ୟୁୟର୍କର ପ୍ରସିଦ୍ଧ ଟାଇମ୍ସ ସ୍କୋୟାରରେ ପ୍ରଦର୍ଶିତ ହୋଇ ଇତିହାସ ସୃଷ୍ଟି କରିଥିଲା । ବର୍ତ୍ତମାନ ‘ଡ଼ିଅର୍ ପୁରୁଷ’ ଫିଲ୍ମଟି ବିଶ୍ବବ୍ୟାପୀ ଦର୍ଶକଙ୍କୁ ଆକର୍ଷିତ କରିବା ସହ ପୁରୁଷଙ୍କ ମାନସିକ ସ୍ବାସ୍ଥ୍ୟ ବିଷୟରେ ବିଶ୍ବସ୍ତରରେ ଆଲୋଚ୍ୟର ପ୍ରସଙ୍ଗ ହୋଇପାରିଛି ।

0
0

Leave a Reply

Your email address will not be published. Required fields are marked *