ପଦ୍ମଶ୍ରୀ ସାଧୁ ମେହେରଙ୍କ ପରଲୋକ

ମୁମ୍ବାଇ: ଆଉ ନାହାନ୍ତି ପଦ୍ମଶ୍ରୀ ସାଧୁ ମେହେର । ୮୪ ବର୍ଷ ବୟସରେ ମୁମ୍ବାଇରେ ତାଙ୍କର ପରଲୋକ ହୋଇଛି । ସେ ଏକାଧାରରେ ଥିଲେ ଜଣେ ଅଭିନେତା, ନିର୍ଦ୍ଦେଶକ ଓ ଚଳଚିତ୍ର ନିର୍ମାତା । ଉଭୟ ଓଡ଼ିଆ ଓ ହିନ୍ଦୀ ଚଳଚିତ୍ର ଜଗତରେ ନିଜ ଛାପ ଛାଡି ଯାଇଛନ୍ତି ସାଧୁ ମେହେର । ଅଶୀ ଦଶକରେ ସମାନ୍ତରାଳ ସିନେମାରେ ତାଙ୍କର ଜୀବନ୍ତ ଅଭିନୟ ଏବେ ବି ମନେ ରଖିଛନ୍ତି ଦର୍ଶକ । ୧୯୬୯ରେ ‘ଭୁବନ ସୋମ’ ହିନ୍ଦୀ ଫିଲ୍ମରୁ ସେ ଆରମ୍ଭ କରିଥିଲେ ତାଙ୍କ ଅଭିନୟ ଯାତ୍ରା । ୧୯୭୪ରେ ନିର୍ମିତ ‘ଅଙ୍କୁର’ ଚଳଚିତ୍ରରେ ନିଖୁଣ ଅଭିନୟ ପାଇଁ ଶ୍ରେଷ୍ଠ ଅଭିନେତା ଭାବେ ତାଙ୍କୁ ମିଳିଥିଲା ଜାତୀୟ ଚଳଚିତ୍ର ପୁରସ୍କାର । ସମ୍ବଲପୁରୀ ଚଳଚ୍ଚିତ୍ର ‘ଭୁଖା’ରେ ତାଙ୍କର କଳାତ୍ମକ ଅଭିନୟ ସମସ୍ତଙ୍କ ହୃଦୟକୁ ଛୁଇଁ ଯାଇଥିଲା ।

ସେହିପରି ଓଡିଆ ଚଳଚ୍ଚିତ୍ର ‘ଅଭିମାନ’ରେ ନିର୍ଦ୍ଦେଶନା ଦେଇ ଅନେକ ପ୍ରଶଂସା ସାଉଁଟିଥିଲେ ସାଧୁ ମେହେର । ୧୯୯୪ରେ ନିର୍ମିତ ‘ଗୋପରେ ବଢୁଛି କଳା କହ୍ନେଇ’ ଥିଲା ତାଙ୍କ ନିର୍ଦ୍ଦେଶିତ ଶେଷ ଚଳଚିତ୍ର । ନିଜ ଅଭିନୟ କ୍ୟାରିଅର ଭିତରେ ୨୭ଟି ସିନେମାରେ ଅଭିନୟ କରିଥିଲେ ଆଉ ୬ଟି ଚଳଚ୍ଚିତ୍ର ନିର୍ଦ୍ଦେଶନା ଦେଇଥିଲେ ସାଧୁ ମେହେର । ପ୍ରାୟ ୫୦ ବର୍ଷ ଧରି କଳା ଜଗତରେ ସେ ସକ୍ରୀୟ ରହିଥିଲେ । କଳା କ୍ଷେତ୍ରରେ ତାଙ୍କ ଅବଦାନ ପାଇଁ ୨୦୧୭ରେ ତାଙ୍କୁ ପଦ୍ମଶ୍ରୀ ସମ୍ମାନରେ ସମ୍ମାନୀତ କରାଯାଇଥିଲା ।

ଓଡିଶାର ସୁବର୍ଣ୍ଣପୁର ଜିଲ୍ଲାରେ ଜନ୍ମଗ୍ରହଣ କରିଥିଲେ ସାଧୁ ମେହେର । ଆଉ ମୁମ୍ବାଇ ଥିଲା ତାଙ୍କର କର୍ମଭୂମି । ଓଡିଶାର ଅନେକ କଳାକାରଙ୍କୁ ବଲିଉଡରେ ପରିଚତ କରାଇବାରେ ବଡ ଭୂମିକା ନେଇଥିଲେ ସେ । ତାଙ୍କର ଅବର୍ତମାନରେ ସିନେ ଜଗତରେ ଶୋକର ଛାୟା ଖେଳି ଯାଇଛି । ତାଙ୍କର ବିୟୋଗ କଳା ଜଗତ ପାଇଁ ଅପୂରଣୀୟ କ୍ଷତି ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଗଭୀର ଶୋକ ବ୍ୟକ୍ତ କରିବା ସହ ଶୋକ ସନ୍ତପ୍ତ ପରିବାର ବର୍ଗଙ୍କ ପ୍ରତି ସମବେଦନା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ 

0
0

Leave a Reply

Your email address will not be published. Required fields are marked *