ଯବାନ ଚରିତ୍ରରେ ଦମ୍ ଦେଖାଇବେ ଆକାଶ, ପ୍ରଥମ ଲୁକ୍‌କୁ ନେଇ ବଢ଼ିଲା ଚର୍ଚ୍ଚା

ଭୁବନେଶ୍ୱର: ଖୁବ୍ ଶୀଘ୍ର ଓଡିଆ ଇଣ୍ଡଷ୍ଟ୍ରୀରେ ମୁକ୍ତିଲାଭ କରିବାକୁ ଯାଉଛି ଦେଶାତ୍ମବୋଧ କଥାବସ୍ତୁ ଉପରେ ଆଧାରିତ ଏକ ଚଳଚ୍ଚିତ୍ର । ଯାହାର ନାଁ ରହିଛି ‘ଜୟ ହିନ୍ଦ’ । ନିକଟରେ ଏହି ଆଗାମୀ ସିନେମାର ପ୍ରଥମ ଟିଜର ମୁକ୍ତିଲାଭ କରିଛି । ସିନେମାରେ ମୁଖ୍ୟ ଭୂମିକାରେ ଅଭିନେତା ଆକାଶ ଦାସନାୟକ ଓ ଅଭିନେତ୍ରୀ ସୂର୍ଯ୍ୟମୟୀ । ଶୁଭଶ୍ରୀ ଫିଲ୍ମସ୍ ବ୍ୟାନରରେ ପ୍ରସ୍ତୁତ ହୋଇଥିବା ଏହି ଓଡିଆ ସିନେମାର କାହାଣୀ ସେନାର ଜଣେ ସଚ୍ଚୋଟ ଯବାନ ଉପରେ ଆଧାରିତ ହୋଇଛି । ଯେଉଁ ଚରିତ୍ରକୁ ପରଦାରେ ତୁଲାଉଛନ୍ତି ଅଭିନେତା ଆକାଶ । ଯବାନ ଚରିତ୍ର ପାଇଁ ସେହିଭଳି ଗେଟ୍ ଅପ୍‌ରେ ଦେଖିବାକୁ ମିଳିଛି ଏହି ଟିଜରରେ । ଆଖିରେ କଳା ଚଷମା ଓ ମୋଟା ନିଶ । ସେହିପରି ଅଭିନେତ୍ରୀ ସୂର୍ଯ୍ୟମୟୀଙ୍କ ଦମଦାର ଲୁକ୍ ମଧ୍ୟ ଏହି ଟିଜରରେ ଦେଖିବାକୁ ମିଳିଛି । ପ୍ରଥମ ଥର ପାଇଁ ବଡ଼ ପରଦାରେ ଏକାଠି ନଜର ଆସିବେ ଆକାଶ ଓ ସୂର୍ଯ୍ୟମୟୀ ।

ଶୁଭଶ୍ରୀ ମଙ୍ଗରାଜଙ୍କ ପ୍ରଯୋଜନାରେ ପ୍ରସ୍ତୁତ ହୋଇଥିବା ଏହି ସିନେମାର ନିର୍ଦ୍ଦେଶନା ଭାର ତୁଲାଇଛନ୍ତି ପୃଥ୍ୱିରାଜ ପଟ୍ଟନାୟକ । ପୃଥ୍ୱିରାଜ ଏହି ସିନେମାର କାହାଣୀ ମଧ୍ୟ ଲେଖିଛନ୍ତି । ଫିଲ୍ମଟିର ଡାଏଲଗ ଲେଖିଛନ୍ତି ଅମିତ କୁମାର ଦାସ । ସିନେମାରେ ସଙ୍ଗୀତର ଭାର ତୁଲାଇଛନ୍ତି ଏମ୍ କେ ମୁକେଶ । ସିନେମାର ସୁଟିଂ ଏବେ ଜୋର ସୋରରେ ଆଗେଇ ଚାଲିଛି । ଓଡିଶାର ବିଭିନ୍ନ ସ୍ଥାନ ସମେତ ରାଜ୍ୟ ବାହାରେ ଚଳଚ୍ଚିତ୍ର ‘ଜୟ ହିନ୍ଦ’ର ସୁଟିଂ କରାଯାଇଛି । କିଛି ଦିନ ରାଜନୀତି ଠାରୁ ଦୁରେଇ ରହିବା ପରେ ଏବେ ଅଭିନୟରେ ପୁଣି ଥରେ ନିଜର ଦକ୍ଷତା ଦେଖାଉଛନ୍ତି ଆକାଶ । ନିକଟରେ ମୁକ୍ତିଲାଭ କରିଥିବା ଚଳଚ୍ଚିତ୍ର ‘କେମିତି ଏ ସମ୍ପର୍କ’ରେ ଆକାଶଙ୍କ ଜବରଦସ୍ତ ଅଭିନୟର ଝଲକ ଦେଖିବାକୁ ପାଇଥିଲେ ସିନେପ୍ରେମୀ । ଏଥିରେ ଆକାଶଙ୍କ ବିପକ୍ଷରେ ଅଭିନେତ୍ରୀ ଏଲିନା ସାମନ୍ତରାୟଙ୍କୁ ଦେଖିବାକୁ ମିଳିଥିଲା । ଏବେ ‘ଜୟ ହିନ୍ଦ’ ପାଇଁ ପ୍ରସ୍ତୁତ ହେଉଛନ୍ତି ଅଭିନେତା ଆକାଶ ।

ଯଦି ଆକାଶଙ୍କ ରାଜନୀତି ଯାତ୍ରା ବିଷୟରେ କଥା ହେବା, ତାହାଲେ ସେଥିରେ ବି ବେଶ ସଫଳତା ହାତେଇଛନ୍ତି ଆକାଶ ଦାସନାୟକ । ଫିଲ୍ମ ଜଗତରୁ ରାଜନୀତିରେ ଯୋଗଦେଇ ଆକାଶ ହୋଇଥିଲେ ବିଧାୟକ । ୨୦୧୪ରେ ଯାଜପୁର ଜିଲ୍ଲା କୋରେଇ ମାଟିରୁ ବିଜୁ ଜନତା ଦଳ ପକ୍ଷରୁ ଟିକେଟ୍ ପାଇ ନିର୍ବାଚନ ଲଢିଥିଲେ । ଆଉ ଏଥିରେ ବିପୁଳ ବିଜୟ ହାସଲ କରି ନିଜ ଲୋକପ୍ରିୟତା ଦେଖାଇଥିଲେ ଆକାଶ ଦାସନାୟକ । ୨୦୧୯ରୁ ଦଳରେ ସକ୍ରିୟ ରହି ବିଭିନ୍ନ ଦାୟିତ୍ୱ ତୁଲାଇ ଆସୁଛନ୍ତି । ଏବେ ନବୀନ ସରକାରଙ୍କ ଗୁରୁତ୍ୱପୂର୍ଣ୍ଣ ‘ମୋ କଲେଜ୍‌’ ଅଧ୍ୟକ୍ଷ ଭାବେ କ୍ୟାବିନେଟ୍ ପାହ୍ୟା ସହ ଦାୟିତ୍ୱ ତୁଲାଉଛନ୍ତି ଆକାଶ । ଏହାରି ଭିତରେ ଅଭିନୟକୁ ନେଇ ମଧ୍ୟ ସେତିକି ଗମ୍ଭୀର ଅଛନ୍ତି ଆକାଶ ଦାସନାୟକ । ଯାହାର ଝଲକ ତାଙ୍କ ଆଗାମୀ ଚଳଚ୍ଚିତ୍ରରେ ଦେଖିବାକୁ ମିଳିବ ।

0
0

Leave a Reply

Your email address will not be published. Required fields are marked *