ନିର୍ବାଚନ ମାହୋଲରେ ଦର୍ଶକ ଦେଖିବେ ଫିଲ୍ମ ‘ଭୋଟ’

ଭୁବନେଶ୍ଵର: ଆଗକୁ ଆସିବାକୁ ଯାଉଛି ୨୦୨୪ ନିର୍ବାଚନ। ଯେଉଁଥିପାଇଁ ବର୍ତ୍ତମାନ ଚାରିଆଡେ ଚାଲିଛି ଜୋର୍ ସୋର୍ ପ୍ରଚାର। ଆଗକୁ ଇଲେକ୍ସନକୁ ନଜରରେ ରଖି ଦର୍ଶକଙ୍କ ପାଇଁ ଫେବୃଆରୀରେ ରିଲିଜ୍ ହେବାକୁ ଯାଉଛି ଫିଲ୍ମ ‘ଭୋଟ’। ଋତୁପ୍ରିୟା ପ୍ରାଇଭେଟ୍ ଲିମିଟେଡ ପ୍ରଡକ୍ସନ ବ୍ୟାନରରେ ନିର୍ମିତ ନୂଆ ଓଡ଼ିଆ ଫିଲ୍ମ ‘ଭୋଟ୍ ‘ଫେବୃୟାରୀ ୨୩ତାରିଖରେ ମୁକ୍ତିଲାଭ କରିବାକୁ ଯାଉଛି । ଫିଲ୍ମଟି ସଂପୂର୍ଣ୍ଣ ପାରିବାରିକ କଥା ବସ୍ତୁ ଉପରେ ପ୍ରସ୍ତୁତ କରାଯାଇଛି । ଯେଉଁଥିରେ ଦର୍ଶକ କିଛି ଭିନ୍ନ କାହାଣୀ ସହିତ କିଛି ନୂଆ ଅନୁଭୂତିକୁ ଦେଖିବାକୁ ପାଇବେ।

ଫିଲ୍ମରେ ସୂର୍ଯ୍ୟ ମହାନ୍ତି , ରାନୁ ପାଢ଼ୀ , ଚକ୍ରଧର ଜେନା , ଉଷଶୀ ମିଶ୍ର , ହର ରଥ ଓ ପିଙ୍କି ପ୍ରିୟଦର୍ଶିନୀଙ୍କ ଭଳି ଲୋକପ୍ରିୟ ଅଭିନେତାଙ୍କ ଅଭିନୟ ସାଙ୍ଗକୁ ସୁଶାନ୍ତ, ସିତାଂଶୁ, ସୌମ୍ୟ , ଲଭଲି ଓ ଶ୍ରେୟା ମହାନ୍ତିଙ୍କ ଭଳି ନୂଆ ପ୍ରତିଭାଙ୍କୁ ଦେଖିବାକୁ ମିଳିବ । ଉଲ୍ଲେଖ ଥାଉ ଯେ ପ୍ରଯୋଜକ ଅତିଶ କୁମାର୍ ରାଉତଙ୍କ ଏହା ପଞ୍ଚମ ଫିଲ୍ମ ହୋଇଥିବା ବେଳେ ନିର୍ଦ୍ଦେଶକ ଦେବାଶିଷ ମହାପାତ୍ରଙ୍କ ଏହା ପ୍ରଥମ ଫିଲ୍ମ ଅଟେ । ଦେବାଶିଷ ଏହି ଫିଲ୍ମର ନିର୍ଦ୍ଦେଶନା ସହିତ ସଂଳାପ ମଧ୍ୟ ଲେଖିଛନ୍ତି । ନାଟ୍ୟକାର ଅଜୟ ମହାପାତ୍ରଙ୍କ ନାଟକ ‘ ଭୋଟ ‘ ଆଧାରରେ ଏହି କାହାଣୀକୁ ପ୍ରସ୍ତୁତ କରାଯାଇଛି ।

ଜୟଦେବ ପୁରସ୍କାର ପ୍ରାପ୍ତ ଓଡ଼ିଆ ଏଡ଼ିଟର ରବି ପଟ୍ଟନାୟକ ଏହି କାହାଣୀର ସମ୍ପାଦନା ଦାୟିତ୍ଵ ତୁଲାଇଛନ୍ତି । ଏହି ନାଟକୀୟ ଫିଲ୍ମର ସହ ପ୍ରଯୋଜକ ରହିଛନ୍ତି ସୁପ୍ରିୟା ନାୟକ । ଫିଲ୍ମର ସିନେମାଟୋଗ୍ରାଫର୍ ରହିଛନ୍ତି ପ୍ରଶାନ୍ତେନୁ ମହାପାତ୍ର । ସଂଗୀତ ଲେଖିଛନ୍ତି ବାପୁ ଗୋସ୍ୱାମୀ ଓ ମୋହିତ ଚକ୍ରବର୍ତ୍ତୀ । ଫିଲ୍ମର ଗୀତ ଗୁଡିକରେ ହ୍ୟୁମାନ ସାଗର, ଦୀପ୍ତିରେଖା ପାଢ଼ୀ, ଶିବାଶିଷ ମିଶ୍ର , ଲିପ୍ସା ମହାପାତ୍ର , ବିଷ୍ଣୁ ମୋହନ କବି ଓ ସତ୍ୟଜିତ ପ୍ରଧାନ  ପ୍ରମୁଖ ସଙ୍ଗୀତକାର କଣ୍ଠଦାନ କରିଛନ୍ତି । ତେବେ ସାଧାରଣ ନିର୍ବାଚନ ସମୟରେ ଏହିଭଳି ଫିଲ୍ମକୁ ରିଲିଜ୍ କରାଯିବାକୁ ନେଇ ଦର୍ଶକଙ୍କ ଭିତରେ ବେସ୍ ଉତ୍ସାହ ଦେଖିବାକୁ ମିଳିଛି ।

0
0

Leave a Reply

Your email address will not be published. Required fields are marked *